ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ଜନସାଧାରଣଙ୍କ ସାମୂହିକ ଦୃଷ୍ଟିକୋଣ ଓ ଆକାଂକ୍ଷାକୁ ସାକାର କରି ଓଡ଼ିଶାର ଭବିଷ୍ୟତ ଗଢ଼ିତୋଳିବା ପାଇଁ ଏକ ପରିବର୍ତ୍ତନ-ଯାତ୍ରାର ପ୍ରତିନିଧିତ୍ୱ କରେ । ୨୦୩୬ ସୁଦ୍ଧା ରାଜ୍ୟର ଶତବାର୍ଷିକୀ ପାଳନ ଅବସରରେ ଓଡ଼ିଶାର ଅଭିବୃଦ୍ଧି ଧାରାକୁ ଉନ୍ନତ କରିବା ଏବଂ ରାଜ୍ୟକୁ ଦେଶର ଏକ ଅଗ୍ରଣୀ ଅର୍ଥନୈତିକ ଶକ୍ତି ଭାବରେ ପ୍ରତିଷ୍ଠିତ କରିବା ଉପଲକ୍ଷେ ଏହି ଭିଜନ ଉଦ୍ଦିଷ୍ଟ । ଏହି ପଦକ୍ଷେପ ରାଜ୍ୟର ବିକାଶ ସୂଚୀର ମୂଳଦୁଆରୂପେ କାର୍ଯ୍ୟ କରିବା ଲାଗି ଅଭିପ୍ରେତ । ଭାରତ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଭାରତ@୨୦୪୭ର ବ୍ୟାପକ ଜାତୀୟ ଲକ୍ଷ୍ୟ ସହିତ ଓଡ଼ିଶା ଭିଜନ ୨୦୩୬ ଯୋଡ଼ିହୋଇ କାର୍ଯ୍ୟକାରୀ ହେବ ।
ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ କେନ୍ଦ୍ରରେ ରହିଛି ଶାସନ ତଥା ବିକାଶ କ୍ଷେତ୍ରରେ ସାମୂହିକ ଭାଗିଦାରିର ସାମର୍ଥ୍ୟ ଉପରେ ଅତୁଟ ବିଶ୍ୱାସ । ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ସଂପୃକ୍ତି ଉପରେ ଏହି ଭିଜନର ସଫଳତା ନିର୍ଭର କରେ, ଯାହା ଭବିଷ୍ୟତରେ ଓଡ଼ିଶାର ଜନସାଧାରଣଙ୍କ ବିବିଧ ଦୃଷ୍ଟିକୋଣ ଓ ଆକାଂକ୍ଷାକୁ ପ୍ରତିଫଳିତ କରିପାରିବ । ବ୍ୟାପକସ୍ତରରେ ଅଧିକରୁ ଅଧିକ ନାଗରିକ ସଂପୃକ୍ତି ମାଧ୍ୟମରେ, ରାଜ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ହାସଲ କରିପାରିବ ।
ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ର ଲକ୍ଷ୍ୟ ନିର୍ଦ୍ଧାରଣ ପ୍ରକ୍ରିୟାରେ ବ୍ୟାପକ ସ୍ତରରେ ସମ୍ପୃକ୍ତିକୁ ପ୍ରୋତ୍ସାହିତ କରି ବିବିଧ ଗୋଷ୍ଠୀର ସାମୂହିକ ଶକ୍ତିର ଉପଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି । ସମସ୍ତ ଅଞ୍ଚଳ ଓ ଜନସଂଖ୍ୟାଭିତ୍ତିକ ସମସ୍ତ ଗୋଷ୍ଠୀର ନାଗରିକଙ୍କୁ ଏକାଠି କରି ସେମାନଙ୍କ ମନରେ ରାଜ୍ୟର ଭବିଷ୍ୟତ ପ୍ରତି ନିଜସ୍ୱଭାବ ଓ ଦାୟିତ୍ୱବୋଧ ସୃଷ୍ଟି କରିବା ଏହି ଉଦ୍ୟମର ଲକ୍ଷ୍ୟ ।
ରାଜ୍ୟର କୋଣାନୁକୋଣରୁ ବିଭିନ୍ନ ବିଚାର, ଅଭିନବ ସମାଧାନ ଏବଂ ବିବିଧ ଦୃଷ୍ଟିକୋଣକୁ ଆକୃଷ୍ଟ କରିବା ପାଇଁ ଏହି ମଞ୍ଚ ପ୍ରସ୍ତୁତ କରାଯାଇଛି । ବିଚାରଧାରାର ଏହି ନିରନ୍ତର ପ୍ରବାହ ଭିଜନ - ୨୦୩୬କୁ ସମୃଦ୍ଧ କରିବ ଏବଂ ଏହା ନିଶ୍ଚିତ କରିବ ଯେ, ଆମର ଲକ୍ଷ୍ୟ ଗତିଶୀଳ, ଉତ୍ତରଦାୟୀ ତଥା ଲୋକଙ୍କ ଆବଶ୍ୟକତାକୁ ପ୍ରତିଫଳିତ କରୁଛି ।
ଏଭଳି ପଦକ୍ଷେପ ନାଗରିକମାନଙ୍କୁ ଏହି ଭିଜନ ନିର୍ଦ୍ଧାରଣରେ ସକ୍ରିୟ ଯୋଗଦାନର ଅବସର ଦେବାସହ ଜନସାଧାରଣ ଏବଂ ରାଜ୍ୟର ଭବିଷ୍ୟତ ମଧ୍ୟରେ ଏକ ଦୃଢ଼ ସଂଯୋଗ ସୃଷ୍ଟି କରିବ । ସହଭାଗୀ ନାଗରିକମାନଙ୍କର ଏଥିପ୍ରତି ନିଜସ୍ୱତାର ଭାବନା ସୁନିଶ୍ଚିତ କରିବ ଯେ, ଏହି ଭିଜନ ପ୍ରସ୍ତୁତି କେବଳ ଏକ ସରକାରୀ ପଦକ୍ଷେପ ନୁହେଁ ବରଂ ଏକ ଭାଗିଦାରିମୂଳକ ଲକ୍ଷ୍ୟ ଯେଉଁଥିରେ ପ୍ରତ୍ୟେକ ବ୍ୟକ୍ତିଙ୍କ ବିଚାର ପ୍ରତିଫଳିତ ।
ଭିଜନ ପ୍ରସ୍ତୁତି କ୍ଷେତ୍ରରେ ବ୍ୟାପକ ସ୍ତରରେ ଅଂଶଗ୍ରହଣକୁ ସୁଗମ କରିବା ପାଇଁ ଏକ ଉପଭୋକ୍ତା-ଅନୁକୂଳ ତଥା ବିନିମୟାତ୍ମକ ୱେବସାଇଟ୍ ସମସ୍ତ ନାଗରିକଙ୍କ ସଂଯୋଗାତ୍ମକ କାର୍ଯ୍ୟକଳାପ ପାଇଁ ଏକ କେନ୍ଦ୍ର ଭାବରେ କାର୍ଯ୍ୟ କରିବ । ଏହି ମଞ୍ଚ ନାଗରିକମାନଙ୍କୁ ସେମାନଙ୍କର ନିଜସ୍ୱ ବିଚାର ଦାଖଲ କରିବାକୁ, ସେମାନଙ୍କ ଦୃଷ୍ଟିକୋଣ ସର୍ବଜନୀନ କରିବାକୁ ଏବଂ ଏ-ସମ୍ପର୍କିତ ଅଗ୍ରଗତି ବିଷୟରେ ଅଧୁନାତନ ତଥ୍ୟସହ ଯୋଡ଼ିହେବାକୁ ସୁଯୋଗ ଦେବାଲାଗି ଉଦ୍ଦିଷ୍ଟ । ଏହି ମଞ୍ଚର ସୁଲଭ ଉପଲବ୍ଧତାକୁ ଦୃଷ୍ଟିରେ ରଖି ବିବିଧ ସୁବିଧା ପ୍ରଦାନ କରାଯାଇଛି ।
ନାଗରିକମାନଙ୍କୁ ନିର୍ଦ୍ଧାରିତ ସମୟ ଭିତରେ ସେମାନଙ୍କର ଚିନ୍ତାଧାରା, ପରାମର୍ଶ ଏବଂ ମତାମତ ଜଣାଇବାକୁ ଏକ ସ୍ୱତନ୍ତ୍ର ହ୍ୱାଟ୍ସଆପ୍ ନମ୍ବରର ବ୍ୟବସ୍ଥା କରାଯାଇଛି । ଡିଜିଟାଲ ମଞ୍ଚର ବ୍ୟବହାର ଯେଉଁମାନଙ୍କ ପାଇଁ କଷ୍ଟକର, ଏହା ସେମାନଙ୍କ ପାଇଁ ଯୋଗାଯୋଗର ଏକ ସହଜ ମାଧ୍ୟମ ହୋଇପାରିବ ।
ବିସ୍ତୃତ ମତାମତ ଦାଖଲ ପାଇଁ ସରକାରଙ୍କ ପକ୍ଷରୁ ଇମେଲର ସୁବିଧା କରାଯାଇଛି । ଏହା ବିକଳ୍ପ ଯୋଗାଯୋଗର ଏକ ପାରମ୍ପରିକ ତଥା ପ୍ରଭାବଶାଳୀ ମାଧ୍ୟମ ଏବଂ ବ୍ୟାପକ ସ୍ତରରେ ଏହା ମତାମତ ପ୍ରଦାନର ସୁବିଧା ଦେଇପାରିବ ।
ବ୍ୟାପକ ଏବଂ ସାମଗ୍ରିକ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ତାଙ୍କର ବିଭିନ୍ନ ବିଭାଗ ସହଯୋଗରେ ସମସ୍ତଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ଏକ ପର୍ଯ୍ୟାୟକ୍ରମିକ ତଥା ଲକ୍ଷ୍ୟଭିତ୍ତିକ ଅଭିଯାନ ଆରମ୍ଭ କରିବେ । ଏହି ପଦକ୍ଷେପଗୁଡ଼ିକ ରାଜ୍ୟର ସମସ୍ତ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରିବ ଏବଂ ପ୍ରତ୍ୟେକ ନାଗରିକଙ୍କ ମତାମତକ ସହ ସେମାନଙ୍କ ପ୍ରତିନିଧିତ୍ୱକୁ ସୁନିଶ୍ଚିତ କରିବ ।
୨୦୩୬ ମସିହା ସୁଦ୍ଧା ୫୦୦ ବିଲିୟନ ଡଲାରର ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡ଼ିପି) (ଯାହା ବର୍ତ୍ତମାନର ଜିଏସଡ଼ିପି'ର ପାଞ୍ଚ ଗୁଣ) ହାସଲ କରିବା ଲକ୍ଷ୍ୟରେ ଓଡ଼ିଶା ଭିଜନ୍ ୨୦୩୬ ଭଳି ଏକ ମହତ୍ୱାକାଂକ୍ଷୀ ନୀତି ଢାଞ୍ଚା ପ୍ରସ୍ତୁତ କରାଯାଇଛି । ଅର୍ଥନୀତିରେ ବିବିଧତା ଆଣିବା, ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ରାଜସ୍ୱ ବୃଦ୍ଧି କରିବା ଏବଂ ନିରନ୍ତର ବିକାଶକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟର ପ୍ରାଥମିକ ଚାଳକ ଭାବରେ ମୂଲ୍ୟଯୁକ୍ତ ଉତ୍ପାଦନ ଉପରେ ଏହି ରଣନୀତି ଗୁରୁତ୍ୱ ଆରୋପ କରେ ।
ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ କେବଳ ସରକାରଙ୍କ ପାଇଁ ଏକ ରୋଡ଼ମ୍ୟାପ୍ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ସହଯୋଗ ପାଇଁ ଆହ୍ୱାନ । ଏହି ଦୃଷ୍ଟିକୋଣକୁ ବାସ୍ତବତାରେ ରୂପାନ୍ତରିତ କରିବା ପାଇଁ ଆପଣଙ୍କ ବିଚାର, ଭାଗିଦାରିତା ଏବଂ ପ୍ରତିବଦ୍ଧତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମେ ମିଳିମିଶି ଏକ ସମୃଦ୍ଧ, ସ୍ଥାୟୀ ଏବଂ ସମାବେଶୀ ଓଡ଼ିଶା ଗଠନ କରିପାରିବା ଯାହାକୁ ଆମେ ୨୦୩୬ ଏବଂ ଏହାପରେ ମଧ୍ୟ ଉତ୍ସବରୂପେ ପାଳନ କରି ଗର୍ବ ଅନୁଭବ କରିପାରିବା ।